ଦୁଇଟି କଲରାପତରିଆ ବାଘ ଛାଲ ସହ ୫ ଜଣ ଗିରଫ

କାଶୀପୁର ରୁ ଅଞ୍ଜନ ନାଏକ -୨୪ ଡିସେମ୍ବର ବନ୍ୟପ୍ରାଣୀ ଚୋରାଚାଲାଣ ବିରୋଧରେ କାଶୀପୁର ରେଞ୍ଜରେ ବନ ବିଭାଗକୁ ମିଳିଛି ବଡ ସଫଳତା। ପୂର୍ବ ଯୋଜନା ଅନୁଯାୟୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ବନାଞ୍ଚଳ ବିଭାଗର ମିଳିତ ଟିମ ଚଢାଉ କରି ଦୁଇଟି କଲରାପତରିଆ ବାଘ ଛାଲ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳର କିଛି ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରି ବିକ୍ରି କରିବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ରାୟଗଡା ଡିଏଫଓ ଓ କଳାହାଣ୍ଡି ଡିଏଫଓଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ଗଠନ କରାଯାଇ ଅଭିଯୁକ୍ତମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।
ପୂର୍ବ ଯୋଜନା ଅନୁଯାୟୀ, କାଶୀପୁର ସଦର ସ୍ଥିତ ହନୁମାନ ମନ୍ଦିର ନିକଟରେ ପ୍ରାୟ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି କରିବାକୁ ଯୋଜନା ହେଉଥିବା ସମୟରେ ବନ ବିଭାଗ ଚଢାଇ କରି ସମସ୍ତ ୫ ଜଣଙ୍କୁ ଗିରଫ କରିଥିଲେ।
ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି କଲରାପତରିଆ ବାଘ ଛାଲ, ୩ଟି ମୋଟରସାଇକେଲ, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ଧାରୁଆ ଛୁରି ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କାଶୀପୁର ଅଞ୍ଚଳର ବୋଲି ବନ ବିଭାଗ ସ୍ପଷ୍ଟ କରିଛି।
ଏହି ସଫଳ ଚଢାଉରେ ରାୟଗଡା ଡିଏଫଓ ସଚିନ ଓଲହା, କଳାହାଣ୍ଡି ଡିଏଫଓଙ୍କ ସହ ଟିକିରି ରେଞ୍ଜର ଅନିଲ ପାଣିଗ୍ରାହୀ, କଲ୍ୟାଣସିଂହପୁର ରେଞ୍ଜର ଚନ୍ଦନ ଗମାଙ୍ଗ, କାଶୀପୁର ଫରେଷ୍ଟର ଦିନବନ୍ଧୁ ଶବର, ବଳରାମ କାଡ୍ରାକା ସହ କାଶୀପୁର, ଟିକିରି ଓ କଲ୍ୟାଣସିଂହପୁର ଅଞ୍ଚଳର ବନ ବିଭାଗ କର୍ମଚାରୀମାନେ ସାମିଲ ଥିଲେ।
ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା କଥା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
