କାଶୀପୁର ବ୍ଲକରେ କଂଗ୍ରେସ ନେତୃତ୍ୱ ନେଇ ଅସ୍ଥିରତା



କାଶୀପୁର : କାଶୀପୁର ବ୍ଲକରେ କଂଗ୍ରେସ ନେତୃତ୍ୱ ନେଇ ଅସ୍ଥିରତା
ହରଡ଼ଘଣାରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି। ପ୍ରସ୍ତାବ ମୁତାବକ ସ୍ଥିର ହୋଇପାରୁନାହିଁ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଚୟନ। ଜିଲ୍ଲାର ୧୦ଟି ବ୍ଲକରେ ସଭାପତି ଚୟନ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ କାଶୀପୁର ବ୍ଲକରେ ମାତ୍ର ଅସ୍ପଷ୍ଟତା ଓ ଦ୍ବନ୍ଦ ଅବସ୍ଥା ଚାଲିରହିଛି।
ସୂଚନା ମୁତାବକ ବ୍ଲକ ସଭାପତି ପଦ ପାଇଁ ଆଶାୟୀ ନେତାମାନେ ରାୟଗଡା ଜିଲ୍ଲା ମୁଖ୍ୟାଳୟରେ ବସା ବାନ୍ଧି ରହିଛନ୍ତି। ଦଳ ମଧ୍ୟରେ ଗୋଷ୍ଠୀବାଦ, ଅସନ୍ତୋଷ ଓ ଅଭିଯୋଗର ଝଂପ ବଢ଼ିବାରେ ଲାଗିଛି।
ପ୍ରକାଶ ଥାଉ କି, ପାଞ୍ଚ ବର୍ଷ ପୂର୍ବରୁ ହୋଇଥିବା ବ୍ଲକ ସଭାପତି ଚୟନ ପ୍ରକ୍ରିୟା ମଧ୍ୟ ଦଳ ମଧ୍ୟରେ ବିବାଦ ଓ ଅସନ୍ତୋଷ ସୃଷ୍ଟି କରିଥିଲା ଏ ପଯ୍ୟନ୍ତ ମଧ୍ୟ ବାଦ ବିବାଦ ଚାଲିଛି । ବର୍ତ୍ତମାନ ପୁଣିଥରେ କାଶୀପୁର ବ୍ଲକରେ କଂଗ୍ରେସ ସଭାପତି ଚୟନକୁ ନେଇ ବିଜେପି, ବିଜେଡି ଓ ବିଏସପି ଦଳମାନେ ମଧ୍ୟ ଚର୍ଚ୍ଚା କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତିଙ୍କ ନିର୍ଦ୍ଦେଶନାନୁସାରେ ଗତ ୧୨/୦୧ ସୋମବାର ଦିନ ଜିଲ୍ଲାରୁ ପାଞ୍ଚ ଜଣିଆ ଟିମ କାଶୀପୁରକୁ ପହଞ୍ଚି ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଟିମ ପକ୍ଷରୁ ସଭାପତି ଚୟନ ପ୍ରକ୍ରିୟା ସଫଳ କରାଯିବାକୁ ଉଦ୍ୟମ କରାଯାଇଥିଲା।
କାର୍ଯ୍ୟକ୍ରମଟି କାଶୀପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା। ଶତାଧିକ ବ୍ଲକ କଂଗ୍ରେସ କର୍ମୀଙ୍କ ସହ ଆଶାୟୀ ପ୍ରାର୍ଥୀମାନେ ଯଥା ଯୋଗେନ୍ଦ୍ର ପ୍ରସାଦ ନାଏକ, ରାଜେନ୍ଦ୍ର ଦୁରିଆ, ଅଙ୍ଗଦ ନାଏକ, ଭୁବନେଶ୍ୱର ମହାନ୍ତି, ସୁନାସିଂ ମାଝୀ ଓ ରାଜେନ୍ଦ୍ର ନାଏକ— ମୋଟ ୬ ଜଣ ନିଜ ନାମ ପଞ୍ଜିକରଣ କରିଥିଲେ।
କିନ୍ତୁ ମୁଖ୍ୟ ସମସ୍ୟା ହେଲା ବ୍ଲକରେ ଦୀର୍ଘଦିନ ଧରି କର୍ମୀ ଅସନ୍ତୋଷ ବଢ଼ୁଥିବା। ବେଳେ ବେଳେ ପ୍ରଶ୍ନ ଉଠୁଛି— କାଶୀପୁରରେ କଂଗ୍ରେସର ହାତମୁଠା ଭାଙ୍ଗିଯିବ କି? ଦଳୀୟ ନେତୃତ୍ୱ କର୍ମୀଙ୍କୁ ସମ୍ଭାଳି ପାରୁନଥିବା ନେଇ ବୁଦ୍ଧିଜୀବୀ ଓ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି।
କର୍ମୀମାନଙ୍କ ମଧ୍ୟରେ କିଛି ବର୍ଷ ହେବ ଅସନ୍ତୋଷ ଗଭୀର ହୋଇଛି। ବରିଷ୍ଠ ନେତାଙ୍କ ନୀତି ଓ ନିଷ୍ପତ୍ତି କାମ କରୁନଥିବାର ଅଭିଯୋଗ ଉଠୁଛି। ଏଭଳି ପରିସ୍ଥିତି ଚାଲିଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କାଶୀପୁର ବ୍ଲକ କଂଗ୍ରେସର ଅଙ୍କ ଭାରି ହ୍ରାସ ପାଇପାରେ ବୋଲି ଆଲୋଚନା ଚାଲିଛି।
ଯଦି ଜିଲ୍ଲା ସଭାପତି ସଠିକ୍ ଓ କାର୍ଯ୍ୟକ୍ଷମ ନେତା ଓ ସମସ୍ତଙ୍କ ପାଖରେ ଦୁଃଖ ରେ ସୁଖରେ ଠିଆ ହେଉଥିବା ନେତା ଙ୍କୁ ଚୟନ ନକରି ଚାପରେ ପଡ଼ି ଭୁଲ ବ୍ୟକ୍ତିଙ୍କୁ ସଭାପତି କରନ୍ତି, ତେବେ କାଶୀପୁର ବ୍ଲକରେ କଂଗ୍ରେସ ଦଳ ଦୁଇଭାଗ ହେବାର ଆଶଙ୍କା ରହିଛି। ବର୍ତ୍ତମାନ କାଶୀପୁରରୁ ରାୟଗଡା ପର୍ଯ୍ୟନ୍ତ ସଭାପତି ପଦ ଲୋଭୀମାନେ ମେଳା ବାନ୍ଧି ରହିଥିବା ଦେଖାଯାଉଛି।
ଏବେ ପ୍ରଶ୍ନ— ଦଳ ପାଇଁ କାମ କରୁଥିବା ଲୋକକୁ ସଭାପତି କରାଯିବ କି, ନା ପଦକୁ ନେଇ ନିଜ ଫାଇଦା ନେବାକୁ ଚାହୁଁଥିବା ବ୍ୟକ୍ତିକୁ? ଏହାକୁ ନେଇ କାଶୀପୁରର ରାଜନୀତିକ ମହଳ ଗରମ ହୋଇଉଠିଛି
