୨୦ ବର୍ଷର ଅପେକ୍ଷା, ତଥାପି ମିଳୁନାହିଁ ନ୍ୟାୟ

କାଶୀପୁର : ଉନ୍ନତିର ନାଁରେ ଯେଉଁ ଆଦିବାସୀମାନେ ନିଜ ଜମି, ଜଙ୍ଗଲ ଓ ଜୀବନ ଛାଡ଼ିଥିଲେ, ସେହି ଲୋକମାନେ ଆଜି ନ୍ୟାୟ ପାଇଁ କମ୍ପୁଥିବା ହାତରେ ପ୍ଲାକାର୍ଡ ଧରି କାରଖାନା ଫାଟକ ସାମ୍ନାରେ ବସିଛନ୍ତି। ଦୋରଗୁଡା ଠାରେ ସ୍ଥାପିତ ଉତ୍କଳ ଆଲୁମିନା କାରଖାନା ଆଜି ଲକ୍ଷାଧିକ କୋଟିର ଉତ୍ପାଦନ କରୁଛି, କିନ୍ତୁ ଯେଉଁ ଲୋକଙ୍କ ଜମି ଉପରେ ଏହା ଦଣ୍ଡାୟମାନ, ସେମାନଙ୍କ ଆଖିରେ ଆଜି ବି ଅନ୍ଧକାର।
କମ୍ପାନୀ ସ୍ଥାପନ ସମୟରେ କୁହାଯାଇଥିଲା —
“କାଶୀପୁର ବଦଳିବ, ଆଦିବାସୀଙ୍କ ଜୀବନ ଆଲୋକିତ ହେବ।”
କିନ୍ତୁ ୨୦ ବର୍ଷ ପରେ ମଧ୍ୟ ସେହି କଥା ଆଜି କେବଳ କାଗଜର ପ୍ରତିଶୃତି ହୋଇ ରହିଗଲା। ଜମି ଦେଲେ ରୋଜଗାର, ପରିବାରକୁ ସୁରକ୍ଷା, ପିଲାଙ୍କୁ ଭବିଷ୍ୟତ — ଏ ସବୁ ଆଶା ଆଜି ଆଦିବାସୀଙ୍କ ପାଇଁ ଅପୂରଣୀୟ ସ୍ୱପ୍ନ।
୨୧୫୫ ଏକର ଜମି ଅଧିଗ୍ରହଣରେ ଆଦିବାସୀଙ୍କ ମାଟି, ମାଁର ମମତା ପରି ଛିଣ୍ଡି ନିଆଗଲା। ୨୬ଟି ଗାଁର ପ୍ରାୟ ୧୫ ହଜାର ଲୋକ ଜୀବନ ଓ ଜୀବିକା ହରାଇଲେ, ଆଉ ୧୦୮ଟି ଗାଁର ପ୍ରାୟ ୫୦ ହଜାର ଲୋକ ପ୍ରତିଦିନ ଧୂଳି, ଦୂଷଣ ଓ ଅନିଶ୍ଚୟତା ସହ ବଞ୍ଚୁଛନ୍ତି।




ତୃତୀୟ ସମ୍ପ୍ରସାରଣ ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ମୁହଁ ଫେରାଇ ନେଲେ। ଜମି ନେଇଥିବା ହାତ ଆଜି ସାହାଯ୍ୟ ଦେବାକୁ ଅସ୍ୱୀକାର କରୁଛି। ଆଦିବାସୀଙ୍କ ଚିତ୍କାର ପଲ୍ଲୀରେ ଅଟକି ଯାଉଛି, ଦିଲ୍ଲୀ ପର୍ଯ୍ୟନ୍ତ ପହଁଚୁନାହିଁ।
୨୭ ଦଫା ଦାବି ନେଇ ଭଗବାନ ମାଝି, ନାଥ ଝଡ଼ିଆ, ଫକୀର ମାଝି, ସଦନ ମାଝି ସହିତ ଶତାଧିକ କ୍ଷତିଗ୍ରସ୍ତ ଆଜି ଉତ୍କଳ ଆଲୁମିନା ଖଣି ଫାଟକ ଆଗରେ ଧୂଳି, ଶୀତ — ସବୁକୁ ଅଗ୍ରାହ୍ୟ କରି ଗଣଧାରଣାରେ ବସିଛନ୍ତି।
ଜଣେ ବୃଦ୍ଧ ଆଦିବାସୀ କହିଲେ
“ଆମେ ଜମି ଦେଲୁ, ପାହାଡ଼ ଦେଲୁ, ଜୀବନ ଦେଲୁ… କିନ୍ତୁ ଆମ ପିଲା ଆଜି ମଜୁରି ପାଇଁ ଘୁରୁଛନ୍ତି।”
ଆଜି ଉତ୍କଳ ଆଲୁମିନା ଫାଟକ ଆଗରେ ବସିଥିବା ଏହି ଲୋକମାନଙ୍କ ଧାରଣା କେବଳ ଆନ୍ଦୋଳନ ନୁହେଁ ଏହା ହେଉଛି ଆଦିବାସୀ ମାଟିର ହୋକ, ୨୦ ବର୍ଷର ଯନ୍ତ୍ରଣାର ଜୀବନ୍ତ ସାକ୍ଷୀ।
