କାଶୀପୁର ବ୍ଲକର ରତାଚୂଆଁ ଗ୍ରାମରେ ମା ଠାକୁରାଣୀ ଯାତ୍ରା ଭକ୍ତିଭାବରେ ପାଳିତ



କାଶୀପୁର:-କାଶୀପୁର ବ୍ଲକ ଅନ୍ତର୍ଗତ କୋଡ଼ିପାରୀ ଗ୍ରାମ ପଞ୍ଚାୟତର ରତାଚୂଆଁ ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା ଠାକୁରାଣୀଙ୍କ ଯାତ୍ରା ଭକ୍ତି ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ଯାତ୍ରାରେ ଗ୍ରାମବାସୀଙ୍କ ସହିତ ପାଶ୍ୱର୍ତ୍ତୀ ଅଞ୍ଚଳରୁ ମଧ୍ୟ ଶତାଧିକ ଭକ୍ତ ଯୋଗ ଦେଇଥିଲେ।
ପ୍ରଥମ ଦିନରୁ ମାଙ୍କ ପୂଜା, ନୀତିକାନ୍ତି, ବାଦ୍ୟବାଜନା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମଗ୍ର ଗ୍ରାମ ଉତ୍ସବମୟ ହୋଇଉଠିଥିଲା। ଶେଷ ଦିନ ଅର୍ଥାତ୍ ଅନ୍ତିମ ଦିନରେ ମା ଠାକୁରାଣୀଙ୍କୁ ବିଧିବଧାନ ସହିତ ଭୋଗ ଲାଗି କରାଯାଇ ପରେ ବିସର୍ଜନ କରାଯାଇଥିଲା।
ବିସର୍ଜନ ପଡ଼ିଆରେ ମାନସିକଧାରୀ ଭକ୍ତମାନେ ନଡ଼ିଆ, ପାରା, କୁକୁଡ଼ା, ଛେଳି ଇତ୍ୟାଦି ନିଜ ନିଜ ମନୋକାମନା ପୂରଣ ପାଇଁ ମାଙ୍କ ଚାମୁଣ୍ଡାରେ ଭୋଗ ଅର୍ପଣ କରିଥିଲେ। ଢୋଲ, ନିଶାନ, ଘଣ୍ଟ, ହୁଳହୁଳି ଓ ଜୟକାରରେ ସମଗ୍ର ଅଞ୍ଚଳ ଗୁଞ୍ଜିଉଠିଥିଲା।
ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବାରେ ଗ୍ରାମ କମିଟି ସଦସ୍ୟ ଓ ସମସ୍ତ ଗ୍ରାମବାସୀଙ୍କର ସହଯୋଗ ପ୍ରଶଂସନୀୟ ଥିଲା। ଏହି ପାରମ୍ପରିକ ଯାତ୍ରା ଗ୍ରାମର ସାମ୍ପ୍ରଦାୟିକ ସମ୍ପ୍ରୀତି ଓ ସଂସ୍କୃତିକୁ ଆହୁରି ମଜବୁତ କରିଛି।
