କଂସାରିଗୁଡାରେ ବିକାଶ ନାଁରେ ଧୋକା : ଆଦିତ୍ୟ ଆଲୁମିନା ଓ ଆଞ୍ଚଳିକ ବିକାଶ ପରିଷଦର ସାସନ



କାଶୀପୁର ରୁ ଚନ୍ଦ୍ରଶେଖର ପାତ୍ର :-କଂସାରିଗୁଡା ଅଞ୍ଚଳରେ ଆଦିତ୍ୟ ଆଲୁମିନା ରେଫେଇନାରୀ ସ୍ଥାପନ ସମୟରେ ଅଞ୍ଚଳବାସୀଙ୍କୁ ସୁବର୍ଣ୍ଣ ସ୍ବପ୍ନ ଦେଖାଯାଇଥିଲା। ରୋଜଗାର, ରାସ୍ତା, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ପରିବେଶର କଥା କୁହାଯାଇଥିଲା। କିନ୍ତୁ ୨୦ ବର୍ଷ ପରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ଆଜି ଅଞ୍ଚଳବାସୀ ବିକାଶ ନୁହେଁ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ଆଞ୍ଚଳିକ ବିକାଶ ପରିଷଦର କାମ ହେଉଛି ଅଞ୍ଚଳର ଉନ୍ନତି। କିନ୍ତୁ ଅଭିଯୋଗ ହେଉଛି—ଆଞ୍ଚଳିକ ବିକାଶ ପରିଷଦ ଅଞ୍ଚଳର ଉନ୍ନତି ଛାଡ଼ି ନିଜ ଉନ୍ନତିରେ ବ୍ୟସ୍ତ। ସଭାପତି ଡଉଲ ରତ୍ନ ଚୌଧୁରୀ, ନୀଳକଣ୍ଠ ଝୋଡ଼ିଆ, ରାଜେନ୍ଦ୍ର ଦୁରିଆ, ଅର୍ଜି ମାଝୀ, କଂସାରୀ ଯାନୀ, ବିଦ୍ୟାରତ୍ନ ଚୌଧୁରୀ, ବିପିନ ମାଡିଙ୍ଗା, ଅଗସ୍ତି ହଳବା ସହ ନେତୃତ ନେଇଥିବା ଅଞ୍ଚଳ ବାସୀ ନେତୃତ୍ୱ ନେଇ କମ୍ପାନୀକୁ ଆଣିଥିଲେ ଓ ସ୍ୱାଗତ କରିଥିଲେ। କିନ୍ତୁ ଆଜି ସେହି ନେତୃତ୍ୱ ଅଞ୍ଚଳବାସୀଙ୍କ ଦୁଃଖ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ।
ଯେଉଁମାନେ ୨୦ ବର୍ଷ ତଳେ କମ୍ପାନୀ ପାଇଁ ସଂଘର୍ଷ କରୁଥିଲେ, ଆଜି ସେମାନେ କାରଖାନା ଚତୁର୍ପାଶ୍ୱରେ ନିର୍ଜୀବ ଜୀବନ କାଟୁଛନ୍ତି। ନା ଚାକିରି, ନା ସୁବିଧା, ନା ସମ୍ମାନ। କମ୍ପାନୀ କତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ନେତୃତ୍ୱ ମଣ୍ଡଳୀ ସେମାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି— ଏହା ଆଜି ଗଭୀର ପ୍ରଶ୍ନ।
ଅଭିଯୋଗ ହେଉଛି, ବର୍ତ୍ତମାନ ସରକାର ଆସିବା ପରେ ଯେଉଁମାନେ ପୂର୍ବେ କମ୍ପାନୀ ବିରୋଧ କରୁଥିଲେ, ସେମାନେ ଆଜି କମ୍ପାନୀର “ପୋଷ୍ୟପୁତ୍ର” ଭାବେ ରାଜୁତି କରୁଛନ୍ତି। ଫଳରେ ସାଧାରଣ ଅଞ୍ଚଳବାସୀଙ୍କ ମୁହଁରେ ଲୁହ ଝରୁଛି, ଆଶା ଭାଙ୍ଗୁଛି।
CSR ନାଁରେ କାଗଜରେ ଯୋଜନା, ମାଟିରେ କିଛି ନାହିଁ। ପ୍ରଦୂଷଣ ବଢ଼ୁଛି, ପାଣି ଦୁଷିତ, ଯୁବକମାନେ ବେକାର। ପ୍ରଶ୍ନ କଲେ ଭୟ, ଦମନ ଓ ନୀରବତା ମିଳୁଛି। ଏହା ଗଣତନ୍ତ୍ର ନୁହେଁ, ଏହା ସାସନ।
ନିର୍ବିବାଦିୟ ଆଞ୍ଚଳିକ ବିକାଶ ପରିଷଦ ଯଦି ସତରେ ଲୋକଙ୍କ ପକ୍ଷରେ, ତେବେ ସାର୍ବଜନିକ ହିସାବ ଦିଅ—
କେତେ CSR ଟଙ୍କା ଆସିଲା?
କେତେ ଯୁବକ ଚାକିରି ପାଇଲେ?
କେଉଁ ଗାଁରେ କଣ ବିକାଶ ହେଲା?
ବିକାଶ ମାନେ କିଛି ନେତାଙ୍କ ଆରାମ ନୁହେଁ, ବିକାଶ ମାନେ ଲୋକଙ୍କ ଜୀବନର ସୁଧାର। ନହେଲେ କଂସାରିଗୁଡାରେ ବିକାଶ ନାଁରେ ହେଉଥିବା ଏହି ପ୍ରତାରଣା ବିରୋଧରେ ଅଞ୍ଚଳବାସୀ ଏକଦିନ ଶକ୍ତି ଆନ୍ଦୋଳନରେ ଉଠିବେ।
ଆଜିର ଦାବି ଆଦିତ୍ୟ ଆଲୁମିନା ଓ ଆଞ୍ଚଳିକ ବିକାଶ ପରିଷଦ ତୁରନ୍ତ ଅଞ୍ଚଳବାସୀଙ୍କ ସମ୍ମୁଖରେ ଜବାବଦେହି ହେଉନ୍ତୁ। ବିକାଶ ଲୋକଙ୍କ ପାଇଁ ହେଉ, ଗୋଟିଏ ଗୋଷ୍ଠୀ ପାଇଁ ନୁହେଁ।
