ରାୟଗଡା – ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ ସିନି (CINI) ସଂସ୍ଥା ପକ୍ଷରୁ “ଏଡୁ ପାୱାର: ଶିକ୍ଷା ମାଧ୍ୟମରେ ବଞ୍ଚିତ ଆଦିବାସୀ କନ୍ୟାମାନଙ୍କ ସଶକ୍ତିକରଣ” ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।ଏହି ଅବସରରେ ବ୍ଲକ ବଡ଼ବାବୁ ଶ୍ରୀ ପ୍ରମୋଦ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ଏବିଇଓ ଶ୍ରୀ ପବିତ୍ର ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦିବାସୀ ଅଞ୍ଚଳର କନ୍ୟାମାନଙ୍କ ଶିକ୍ଷାର ପ୍ରସାର ଓ ସାମାଜିକ ବିକାଶ ପାଇଁ ଏପରି ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମରେ ବ୍ଲକ କୋଅର୍ଡିନେଟର ଶ୍ରୀ ମନୋରଞ୍ଜନ ମଲ୍ଲିକ, ବିଏଲସି ସୁପରଭାଇଜର ଶ୍ରୀ ସୌମ୍ୟ ରଞ୍ଜନ ମେହେର, ଶ୍ରୀ ରମେଶ ବାଘ ଓ ଶ୍ରୀ ଅନାଦି ଗରଡାଙ୍କ ସମେତ ସମସ୍ତ ସିଆରସିସି ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ସିନିର ମୁଖ୍ୟ କାର୍ଯ୍ୟାଳୟର ପ୍ରତିନିଧି ଶ୍ରୀମତୀ ଜୟୀତା ଗାଙ୍ଗୁଲୀ, ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀମତୀ ସସ୍ୱତୀ ନାୟକ ମହାପାତ୍ର ଏବଂ ଥିମାଟିକ ହେଡ୍ ତଥା ପ୍ରୋଗ୍ରାମ ହେଡ୍ ଡ଼. ମିତାଲି ମହାନ୍ତି ପ୍ରକଳ୍ପର ଉଦ୍ଦେଶ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।ଏହି ପ୍ରକଳ୍ପ ମାଧ୍ୟମରେ ବଞ୍ଚିତ ଆଦିବାସୀ କନ୍ୟାମାନଙ୍କୁ ଗୁଣାତ୍ମକ ଶିକ୍ଷା, ଜୀବନ କୌଶଳ, ନେତୃତ୍ୱ ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧିର ସୁଯୋଗ ମିଳିବ। ପ୍ରକଳ୍ପଟି କାଶୀପୁର ଅଞ୍ଚଳରେ କନ୍ୟା ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ।
