ରାୟଗଡା -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡା ଗ୍ରାମ ନିକଟରେ ଚାଲିଥିବା ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ପ୍ରଭାବିତ ଓ ବିସ୍ଥାପିତ ପରିବାରମାନଙ୍କ ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନଥିବା ବେଳେ କମ୍ପାନୀ ପକ୍ଷରୁ ଦ୍ରୁତ ଗତିରେ ପ୍ରକଳ୍ପ କାମ ଚାଲିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, କଂସାରୀଗୁଡା ଗ୍ରାମଠାରୁ ଅତ୍ୟନ୍ତ ନିକଟ ଦୂରତାରେ ଭାରୀ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ସେମାନଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରାତି ଧୂଳି ଉଡୁଥିବାରୁ ଘରଦ୍ୱାର, ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ଦୂଷିତ ହେଉଥିବା ଅଭିଯୋଗ ହେଉଛି। ଏହାସହ ଶବ୍ଦ ପ୍ରଦୂଷଣ ଯୋଗୁଁ ରାତିରେ ଶାନ୍ତିରେ ଶୋଇବା ମଧ୍ୟ କଷ୍ଟକର ହୋଇପଡ଼ିଥିବା କଥା ଗ୍ରାମବାସୀ କହିଛନ୍ତି।ସ୍ଥାନୀୟ ଲୋକଙ୍କ ମତରେ, ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ପ୍ରଭାବିତ ପରିବାରମାନଙ୍କୁ ଆଇନ ଅନୁଯାୟୀ ସ୍ଥାୟୀ ପୁନର୍ବାସ, ମୌଳିକ ସୁବିଧା ଓ ଜୀବିକାର ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅନେକ ପରିବାର ଅନିଶ୍ଚିତତା ଭିତରେ ଜୀବନ ବିତାଉଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି।ଅନ୍ୟପକ୍ଷରେ, କଂସାରୀଗୁଡାକୁ ସଂଯୋଗ କରୁଥିବା ପକ୍କା ରାସ୍ତାର ଅଭାବ ଆଜି ମଧ୍ୟ ଲାଗି ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପ ପାଇଁ ବ୍ୟାପକ ନିର୍ମାଣ କାମ ହେଉଥିବା ବେଳେ ଗ୍ରାମର ମୌଳିକ ଯାତାୟାତ ସମସ୍ୟା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ।ରୋଜଗାର ପ୍ରସଙ୍ଗରେ ମଧ୍ୟ ସ୍ଥାନୀୟ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପ୍ରକଳ୍ପ ଆସିଲେ ସ୍ଥାନୀୟ ଲୋକଙ୍କୁ କାମ ମିଳିବ ବୋଲି ଆଶା ଥିଲା, କିନ୍ତୁ ବର୍ତ୍ତମାନ କାମ ପାଇଁ ଯାଇଥିବା ଅନେକ ଯୁବକଙ୍କୁ ‘ପରେ ଦେଖିବୁ’ ବୋଲି କୁହାଯାଉଛି। କେତେକ ବ୍ୟକ୍ତି ବିଶେଷ ସୁବିଧା ପାଉଥିବା ବେଳେ ସାଧାରଣ ଲୋକ ଅବହେଳିତ ହେଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ପ୍ରକଳ୍ପ ପ୍ରଭାବିତ ସମସ୍ତ ପରିବାରଙ୍କୁ ଯଥୋଚିତ ପୁନର୍ବାସ, ମୌଳିକ ସୁବିଧା, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ସୁନିଶ୍ଚିତ କରାଯିବା ପରେ ହିଁ ପ୍ରକଳ୍ପ କାମକୁ ଆଗକୁ ବଢ଼ାଯିବା ଉଚିତ।
